
ଆଜି ଡାକଘର ସବୁ ନିର୍ଜନ ବା ପରିତ୍ୟକ୍ତ ହୋଇପଡ଼ିଛି। ଇ-ମେଲ୍, ହ୍ବାଟ୍ସଆପ୍ ଠାରୁ ଆରମ୍ଭ କରି ଡିଜିଟାଲ୍ ବାର୍ତ୍ତା ପ୍ରେରଣର ସୁବିଧା ଦ୍ବାରା ଖବରମାନ ନିମିଷକେ ପ୍ରାପକ ପାଖରେ ପହଞ୍ଚି ଯାଉଥିବାରୁ ଡାକ ସେବା ତା’ର ଆକର୍ଷଣ ହରାଇ ବସିଛି। କିନ୍ତୁ ଆଜକୁ ପାଞ୍ଚ ଦଶନ୍ଧି ପୂର୍ବେ ଡାକ ସେବା କିଭଳି ଆମ ଜୀବନର ଏକ ଅବିେଚ୍ଛଦ୍ୟ ଅଙ୍ଗ ଥିଲା, ତାହା ଆଜିର ପିଢ଼ି ଜାଣିବା ଉଚିତ।
ଏବେ ସୁଦ୍ଧା ଡାକ ବିଭାଗର ସବୁଠାରୁ ଶସ୍ତା ଡାକ ସାମଗ୍ରୀ ହେଉଛି ପୋଷ୍ଟକାର୍ଡ। ୧୮୭୯ରୁ ପ୍ରଚଳିତ ହୋଇଥିବା ପୋଷ୍ଟକାର୍ଡ ସର୍ବାଧିକ ଆଦୃତି ଲାଭ କରିଥିଲା। ପୋଷ୍ଟକାର୍ଡର କ୍ରମ ବିବର୍ତ୍ତନ କ୍ରମରେ ସର୍ଭିସ୍ ପୋଷ୍ଟକାର୍ଡ (୧୮୮୦), ରିପ୍ଲାଇ ପୋଷ୍ଟକାର୍ଡ (୧୮୮୪), ବ୍ୟାବସାୟିକ ବଜାର ପୋଷ୍ଟକାର୍ଡ (୧୯୩୨), ଏୟାର୍ମେଲ୍ ପୋଷ୍ଟକାର୍ଡ (୧୯୩୧), ବ୍ୟାବସାୟିକ ରିପ୍ଲାଇ ପୋଷ୍ଟକାର୍ଡ (୧୯୩୨) ଆଦିକୁ ଦେଖିବାକୁ ମିଳେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ସ୍ମରଣରେ ପୋଷ୍ଟକାର୍ଡ (୧୯୫୧)ର ମଧ୍ୟ ଆବିର୍ଭାବ ଘଟିଥିଲା। ସାଧାରଣ ପୋଷ୍ଟକାର୍ଡଗୁଡ଼ିକର ମୂଲ୍ୟ ସମୟ ଅନୁସାରେ ବୃଦ୍ଧି ପାଇଥିଲେ ସୁଦ୍ଧା ବିଶ୍ୱରେ ସବୁଠାରୁ କମ୍ ଖର୍ଚ୍ଚରେ ପତ୍ର ପ୍ରେରଣର ମାଧ୍ୟମ ହୋଇ ରହିଛି। ଇତିମଧ୍ୟରେ ବିଜ୍ଞାପନ ପ୍ରଚାର ଉଦ୍ଦେଶ୍ୟରେ ମେଘଦୂତ କାର୍ଡ (୨୦୦୨ ମସିହା)ର ପ୍ରଚଳନ ମଧ୍ୟ ହୋଇଛି।
ତା’ ପରେ ଡାକରେ ଖବର ପଠାଇବାର ମାଧ୍ୟମ ରୂପେ ଆସିବ ଅନ୍ତର୍ଦେଶୀୟ ପତ୍ର ବା ଇନ୍ଲାଣ୍ଡ ଲେଟର୍, ଲଫାଫା। ଉଡ଼ାଜାହାଜ ପାଇଁ ଏୟାର ମେଲ୍ ଲଫାଫା ବା ବେଲୁନ୍ ଦ୍ୱାରା ବାର୍ତ୍ତା ପ୍ରେରଣ ଲାଗି ସ୍ବତନ୍ତ୍ର ଲଫାଫା ବା ସୈନ୍ୟ ଛାଉଣୀରୁ ବାର୍ତ୍ତା ବହନ କରୁଥିବା ଲଫାଫା ବାର୍ତ୍ତା ପ୍ରେରଣରେ ଭିନ୍ନ ଭିନ୍ନ ଭୂମିକା ନିର୍ବାହ କରିଥାଏ। କେବଳ ସେତିକି ନୁହେଁ, ପର୍ବପର୍ବାଣି, ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ବ୍ୟବହୃତ ହେବା ଉଦ୍ଦେଶ୍ୟରେ ଡାକ ବିଭାଗ ଶୁଭେଚ୍ଛା ବାର୍ତ୍ତା ସହ ଭାଲେଣ୍ଟାଇନ୍ ଲଫାଫା, ରାଖି ଲଫାଫା, ଶୁଭକାମନା ଲଫାଫା ଓ ମୃତ୍ୟୁ ଶୋକ ଲଫାଫା ଇତ୍ୟାଦିର ମଧ୍ୟ ପ୍ରଚଳନ କରିଛି। ସେମିତି ଟଙ୍କା ପ୍ରେରଣ କରିବା ଲାଗି ମନିଅର୍ଡର ବ୍ୟବସ୍ଥା ମଧ୍ୟ ଆଜି ପର୍ଯ୍ୟନ୍ତ ଚାଲୁ ରହିଛି।
ନାଲି ରଙ୍ଗର ଡାକ ବାକ୍ସ ଆଗରୁ ଅନେକ ସ୍ଥାନରେ ଦେଖିବାକୁ ମିଳୁଥିଲା, ଯାହା ଏବେ ଆଉ ନାହିଁ। ତେବେ ଡାକ ବାକ୍ସ କହିଲେ ନାଲି ରଙ୍ଗ ବୋଲି ବୁଝାଯାଉଥିବା ବେଳେ ମହାନଗର ଡାକ ଲାଗି ହଳଦିଆ ବା ରାଜଧାନୀ ସହର ଲାଗି ସବୁଜ ଡାକ ବାକ୍ସର ପ୍ରଚଳନ ମଧ୍ୟ ହୋଇଥିଲା। ବିଶ୍ୱରେ ପ୍ରଥମ ଚିଠି ବାକ୍ସ ୧୮୫୩ ମସିହାରେ ଫ୍ରାନସରେ ଆରମ୍ଭ ହୋଇଥିଲା। ଭାରତରେ ୧୮୪୦-୧୮୫୬ ମଧ୍ୟରେ ମାତ୍ର ୫୦ଟି ଡାକ ବାକ୍ସ ସରକାରୀ ଭାବେ ଲଗା ଯାଇଥିଲା।
ଭାରତର ପ୍ରତ୍ୟେକ ରେଳରେ ଏକ ଡାକସେବା ବଗି ରହିଛି ଏବଂ ପ୍ରମୁଖ ରେଳ ଷ୍ଟେସନ୍ରେ ରେଲୱ ମେଲ୍ ସେବା ବ୍ୟବସ୍ଥା କାର୍ଯ୍ୟରତ। ସେମିତି ଉଡ଼ାଜାହାଜ ଡାକ ସେବା କଥା କହିଲେ ୧୯୧୧ ଫେବ୍ରୁଆରି ୧୮ରେ ଉତ୍ତରପ୍ରଦେଶ ଆହ୍ଲାବାଦ ଠାରୁ ୬୫୦୦ଟି ଚିଠି ଓ ପୋଷ୍ଟକାର୍ଡ ନେଇ ଏକ ହମ୍ୱର ବାଇ ପ୍ଲେନ୍ ଚଳାଇ ହେନେରୀ ପିକ୍ୱେଟ୍ ନାମକ ପାଇଲଟ୍ ନୈନୀ ରେଳ ଷ୍ଟେସନରେ ତାହା ପହଞ୍ଚାଇଥିଲେ। ଏହା ସହିତ ଭାରତରେ ଉଡ଼ାଜାହାଜ ଡାକ ପ୍ରେରଣ ବ୍ୟବସ୍ଥାର ନିଅଁ ପଡ଼ିଥିଲା। ଏହାର ପରିସର ଏବେ ଅନେକ ବର୍ଦ୍ଧିତ ହୋଇଛି। ୨୦୦୭ ମସିହାରୁ ପୂର୍ବୋତ୍ତର ରାଜ୍ୟଗୁଡ଼ିକର ଅପହଞ୍ଚ ଦୂରତାକୁ ବିମାନ ଯୋଗେ ଡାକ ଆଦି ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଏହି ସେବା ଅଧୀନରେ ତିନିଟି ଡାକ ପରିବହନକାରୀ ବୋଇଙ୍ଗ୍ ୭୩୭-୨୦୦ ବିମାନ କାର୍ଯ୍ୟ କରୁଛନ୍ତି।
ଡାକ ସେବାରେ ଡାକ ଟିକେଟ୍ର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଚିଠିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ ଡାକ ଟିକେଟ୍ ଡେଣା ଭଳି କାମ କରେ। ଡାକ ଟିକେଟ୍ଗୁଡ଼ିକୁ ପାରମ୍ପରିକ (ଟ୍ରାଡିସନାଲ୍), ବିଷୟଭିତ୍ତିକ (ଥିମାଟିକ୍), ଡାକ ଇତିହାସ (ପୋଷ୍ଟାଲ୍ ହିଷ୍ଟ୍ରି), ଉଡ଼ାଜାହାଜ ଡାକ ସରବରାହ (ଏରୋଫିଲାଟେଲି), ସାମାଜିକ (ସୋସିଆଲ୍), ରାଜସ୍ୱ ଡାକ ଟିକେଟ୍ (ଫିସ୍କାଲ ବା ରେଭିନ୍ୟୁ), ମହାକାଶ ଯାତ୍ରା ସଂକ୍ରାନ୍ତ (ଆଷ୍ଟ୍ରୋଫିଲାଟେଲି), ମ୍ୟାକ୍ସିମଫିଲି ଓ ଡାକ ଟିକେଟ୍ ଅନୁସଂଧାନ (ଲିଟେରଚର) ଭଳି ଭାଗରେ ବିଭକ୍ତ କରା ଯାଇପାରେ। ଡାକ ଟିକେଟ୍ର ବର୍ଣ୍ଣିଳ ଛଟା ତାକୁ ଦୀର୍ଘଜୀବୀ କରିଥାଏ ଅର୍ଥାତ୍ ଚିଠିଟିକୁ ନଷ୍ଟ କରି ଦିଆଯାଉଥିଲେ ସୁଦ୍ଧା ଅନେକ ଲୋକ ଡାକ ଟିକେଟ୍କୁ ବାହାର କରି ସାଇତି ରଖୁଥିଲେ। ଏହି ଅଭ୍ୟାସରୁ ହିଁ ଡାକ ଟିକେଟ୍ ସଂଗ୍ରହର ରୁଚି ଓ ଝୁଙ୍କ ଆରମ୍ଭ ହୋଇଛି, ଯାହା ଏ ଯାବତ୍ ଅନେକଙ୍କୁ ଡାକ ଟିକେଟ୍ ପ୍ରତି ଆକର୍ଷିତ କରି ରଖିିଛି। ଟିକେଟ୍ ସଂଗ୍ରାହକମାନେ ଏ ସବୁକୁ ପାଇବା ପାଇଁ ଦେଶ ବିଦେଶର ଡାକ ବିଭାଗ, ପତ୍ରବନ୍ଧୁ, କ୍ଲବ୍ ସଦସ୍ୟମାନଙ୍କ ସାହାଯ୍ୟ ନେଇଥା’ନ୍ତି। ଏହା ମାଧ୍ୟମରେ ହିଁ ଏବେ ସୁଦ୍ଧା ଡାକ ବିଭାଗର ଆକର୍ଷଣ ଓ ରୋମାଂଚ ବଳବତ୍ତର ରହିଛି।
(ଅକ୍ଟୋବର ୯-୧୫ ଜାତୀୟ ଡାକ ଟିକେଟ୍ ସପ୍ତାହ ଅବସରରେ)
ମୋ- ୯୪୩୭୨୮୨୬୩୮
The post ପୋଷ୍ଟକାର୍ଡ, ଲଫାଫା ଓ ଡାକ ଟିକେଟ୍ first appeared on Sambad.from ରାଶିଫଳ | Sambad https://ift.tt/3Az3COB
0 Comments