କିଏ ତୁମେ ତାରା?

‘‘ଟିପି ଟିପି ହସୁରେ କିଆଁ, ମୋତେ ଚାହିଁ ସରଗ ତାରା?/ ଜାଣୁ ତ ମୁଁ ଜନମ ଦୁଃଖୀ, ହତାଶ ମୁଁ ଜୀବନ ସାରା।’’ ଊନବିଂଶ ଶତାବ୍ଦୀର ଓଡ଼ିଶାରେ ଯେଉଁ ଦୁଃଖୀ ଲୋକଟି ରାତିର ଆକାଶରେ ହସୁଥିବା ପରି ମନେ ହେଉଥିବା ତାରାକୁ ଚାହିଁ ଏ ପ୍ରଶ୍ନ ପଚାରୁଥିଲା, ତାକୁ ଜଣା ନ ଥିଲା ଯେପରି ତାରା ପ୍ରକୃତରେ କ’ଣ?, ସମକାଳୀନ ଇଉରୋପରେ ମଧ୍ୟ ଯେଉଁମାନେ ଏହି ସୁପରିଚିତ ଶିଶୁ ଗୀତଟି ଗାଉଥିଲେ, ସେମାନଙ୍କ ପାଇଁ ମଧ୍ୟ ତାରା ସେଇଭଳି ଏକ ରହସ୍ୟାବୃତ ବସ୍ତୁ ଥିଲା: ‘‘ଟ୍ବିଙ୍କ୍‌ଲ ଟ୍ବିଙ୍କ୍‌ଲ ଲିଟ୍‌ଲ ଷ୍ଟାର୍/ ହାଓ ଆଇ ଓଣ୍ଡର୍ ହ୍ବାଟ୍ ୟୁ ଆର୍?’’ ତାରା ହସୁଛି କି ନାହିଁ କଳ୍ପନା ନ କରି, ଏ ଗୀତରେ ସିଧାସଳଖ ତାରାକୁ ପଚରା ଯାଇଛି ସିଏ ପ୍ରକୃତରେ କ’ଣ, ତାହା ଖୋଲି କରି କହିବା ପାଇଁ। ବାସ୍ତବରେ ୧୮୦୬ରେ ଏ ଗୀତ ପ୍ରଥମେ ପ୍ରକାଶ ପାଇବା ବେଳକୁ କେହି ବି ଏ ପ୍ରଶ୍ନର ପ୍ରକୃତ ଉତ୍ତର ଜାଣି ନ ଥିଲେ କହିଲେ ଭୁଲ୍ ହେବ ନାହିଁ।

ପ୍ରାଚୀନ କାଳରେ କଳ୍ପନା କରାଯାଉଥିଲା ଯେ ବୋଧହୁଏ ପୃଥିବୀକୁ ଘୋଡ଼ାଇ ରଖିଥିବା ଏକ କଳା ଚାନ୍ଦୁଆରେ ଥିବା କଣାମାନ ଦେଇ ପ୍ରବେଶ କରୁଥିବା ଦୂରଦୂରାନ୍ତର ଆଲୋକକୁ ଆମେ ତାରା ବୋଲି ମନେ କରିଥାଉ। ଷୋଡ଼ଶ ଶତାବ୍ଦୀର ଶେଷ ଆଡ଼କୁ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଜିଓର୍ଡାନୋ ବ୍ରୁନୋ ଯେତେବେଳେ ପ୍ରଥମେ ମତ ପ୍ରକାଶ କଲେ ଯେ ତାରାମାନେ ପ୍ରକୃତରେ ହେଉଛନ୍ତି ମହାକାଶରେ ଅସୀମ ଦୂରତାରେ ଥିବା ଆମ ସୂର୍ଯ୍ୟଙ୍କ ଭଳି ଗୋଟିଏ ଗୋଟିଏ ଜ୍ୟୋତିଷ୍କ ଏବଂ କେତେକ ତାରା ମଧ୍ୟ ଆମ ସୂର୍ଯ୍ୟଙ୍କ ଭଳି ନିଜ ନିଜର ଗ୍ରହମାନଙ୍କ ଦ୍ବାରା ପରିବେଷ୍ଟିତ, ଯେଉଁଥିରେ ହୁଏ’ତ ଆମ ଭଳି ସଭ୍ୟତା ମଧ୍ୟ ବିରାଜମାନ ଥାଇ ପାରେ, ତତ୍କାଳୀନ କ୍ୟାଥଲିକ୍ ଚର୍ଚ୍ଚ‌୍ ଏଭଳି ଚିନ୍ତାଧାରାକୁ ଧର୍ମ ଦ୍ରୋହ ରୂପେ ଅଭିହିତ କରି ୧୬୦୦ ସାଲରେ ବ୍ରୁନୋଙ୍କୁ ଏହାର ଦଣ୍ଡ ସ୍ବରୂପ ରୋମ୍‌ରେ ଜିଅନ୍ତା ଜଳାଇ ଦେଇଥିଲେ। ୧୬୦୮ରେ ଯେତେବେଳେ ଦୂରବୀକ୍ଷଣ ଯନ୍ତ୍ର ଆବିଷ୍କୃତ ହେଲା, ଏକ ଆଶା ଉଦ୍ରେକ ହେଲା ଯେ ଏଥର ତାରାର ପ୍ରକୃତ ସ୍ବରୂପ ଧରାପଡ଼ିବ। ଗାଲିଲିଓ ଦୂରବୀକ୍ଷଣ ଯନ୍ତ୍ରର ମାନରେ ଦ୍ରୁତ ଉନ୍ନତି ଘଟାଇ ଯେତେବେଳେ ତା’ ସାହାଯ୍ୟରେ ତାରାମାନଙ୍କୁ ନିରୀକ୍ଷଣ କଲେ, ସେ ଯାହା ଦେଖିବାକୁ ପାଇଲେ- ପୁଣି ସେଇ ଧବଳ ଆଲୋକ ବିନ୍ଦୁମାନ ମାତ୍ର। ତାରାର ରହସ୍ୟ ଭେଦରେ କୌଣସି ଅଗ୍ରଗତି ଦେଖାଗଲା ନାହିଁ। ବ୍ରୁନୋ କହିବା ଅନୁସାରେ ତାରାମାନେ ଯଦି ଗୋଟିଏ ଗୋଟିଏ ସୂର୍ଯ୍ୟ ଭଳି ହୋଇଥା’ନ୍ତି, ତେବେ ସେମାନେ ସୂର୍ଯ୍ୟ ଭଳି ସମପ୍ରଭ ନ ହୋଇ ଜୁକୁ ଜୁକୁ ଦୁର୍ବଳ ଆଲୋକ ପ୍ରଦାନ କରିବାର କାରଣ କ’ଣ ହୋଇପାରେ ବୋଲି ପ୍ରଶ୍ନର ଏକମାତ୍ର ଉତ୍ତର ହେଉଛି- ଦୂରତା। ସେମାନେ ସୂର୍ଯ୍ୟ ତୁଳନାରେ ଆମ ଠାରୁ ବହୁ ଗୁଣ ଅଧିକ ଦୂରତାରେ ଥିବାରୁ ଏଭଳି ଟିପି ଟିପି ହସୁଛନ୍ତି ବା ଟ୍ବିଙ୍କ୍‌ଲ କରୁଛନ୍ତି। କିନ୍ତୁ କେତେ ଦୂରତାରେ? ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ସିଧାସଳଖ ଏ ରହସ୍ୟର ସମାଧାନ ହୋଇପାରିଲା ନାହିଁ। ‘ଟ୍ବିଙ୍କ୍‌ଲ ଟ୍ବିଙ୍କ୍‌ଲ…’ ଗୀତ ପ୍ରକାଶ ପାଇବାର ପ୍ରାୟ ତିନି ଦଶନ୍ଧି ପରେ ଫ୍ରେଡେରିକ୍ ବେସେଲ୍ ନାମକ ଜର୍ମାନ୍ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଶେଷରେ ଏ ରହସ୍ୟର ସମାଧାନର ସୂତ୍ର ଆବିଷ୍କାର କଲେ: ‘‘ପାରାଲାକ୍‌ସ’।

ନିଜର ହାତକୁ ଲମ୍ବାଇ ବୁଢ଼ା ଆଙ୍ଗୁଳିଟିକୁ ଟେକି ଦେଖନ୍ତୁ। ବାମ ଆଖି ବନ୍ଦ କରି ଡାହାଣ ଆଖିରେ ଦେଖନ୍ତୁ; ଏଥର ଡାହାଣ ଆଖି ବନ୍ଦ କରି ବାମ ଆଖିରେ ସେଇ ଆଙ୍ଗୁଳିଟିକୁ ଦେଖନ୍ତୁ। ଏହାର କେତେଥର ପୁନରାବୃତ୍ତି କରନ୍ତୁ। ବୁଢ଼ା ଆଙ୍ଗୁଳିଟି ଏହି ସମୟରେ ଡାହାଣରୁ ବାମକୁ, ପୁଣି ବାମରୁ ଡାହାଣକୁ, ପୁଣି ଡାହାଣରୁ ବାମକୁ, ପୁଣି … ଡିଆଁ ମାରୁଥିବା ଭଳି ମନେ ହେବ। ଆଙ୍ଗୁଳିଟି ଡିଆଁ ମାରିବା ବେଳେ ଯେଉଁ କୋଣ ସୃଷ୍ଟି କରେ, ତାହାକୁ ଜ୍ୟୋତିର୍ବିଜ୍ଞାନୀମାନେ କହନ୍ତି- ‘ପାରାଲାକ୍‌ସ’।

ଆଙ୍ଗୁଳିଟି ଆଖିର ଯେତେ ପାଖରେ ଥାଏ, ଏହି ଡିଆଁ କୋଣର ଆକାର ସେତେ ଅଧିକ ହୋଇଥାଏ, ଦୂରତାରେ ବୃଦ୍ଧି ସହିତ କୋଣର ଆକାରରେ ହ୍ରାସ ଘଟିଥାଏ। କୋଣର ଆକାରରୁ ହିସାବ କରି ଜାଣି ହେବ ଆଙ୍ଗୁଳିଟି କେତେ ଦୂରତାରେ ଅଛି। ଯଦି କଳ୍ପନା କରାଯାଏ ସୂର୍ଯ୍ୟ ଚତୁର୍ଦ୍ଦିଗରେ ପୃଥିବୀର କକ୍ଷପଥର ବ୍ୟାସ (୩୦,୦୦୦ କୋଟି ମିଟର୍) ହେଉଛି ଆମ ଦୁଇ ଆଖି ମଧ୍ୟରେ ଥିବା ତଫାତ୍‌ର ଦୈର୍ଘ୍ୟ, ତେବେ ବୁଢ଼ା ଆଙ୍ଗୁଳି ସ୍ଥାନରେ ଏକ ତାରାକୁ ରଖି ଏହି ‘ପାରାଲାକ୍‌ସ’ କୌଶଳ ବ୍ୟବହାର କରି ତାରାର ଦୂରତା ମାପି ହେବ। ଛ’ ମାସ ଅନ୍ତରରେ ଦୂରବୀକ୍ଷଣ ସାହାଯ୍ୟରେ ବ୍ୟାସର ଦୁଇ ପ୍ରାନ୍ତ ବିନ୍ଦୁରୁ ଉତ୍ତୋଳନ କରାଯାଇଥିବା ତାରାଟିର ଫଟୋଦ୍ବୟର ଅବସ୍ଥିତି ଦ୍ବାରା ସୃଷ୍ଟି ହେଉଥିବା କୋଣ ଆଧାରରେ ଏହି ଦୂରତା ନିର୍ଣ୍ଣୟ କରି ହେବ। ଏହି କୌଶଳ‌ର ପ୍ରୟୋଗ ଦ୍ବାରା ବ୍ରୁନୋ ସତ୍ୟ ସାବ୍ୟସ୍ତ ହୋଇଥିଲେ ହେଁ ତାଙ୍କ ପାଇଁ ଏହା ବହୁ ବିଳମ୍ବ ହୋଇ ଯାଇଥିଲା।
ତାରାର ରହସ୍ୟ ଭେଦରେ ଏହି କୌଶଳର ପ୍ରୟୋଗରେ ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ତାହା ହେଉଛି ତାରାର ଦୂରବୀକ୍ଷଣ ଫଟୋଦ୍ବୟ। ମହାକାଶର ଅନୁଶୀଳନରେ ଦୂରବୀକ୍ଷଣ ଫଟୋର ଅପରିହାର୍ଯ୍ୟ ଭୂମିକାର ଏହା ହେଉଛି କେବଳ ଗୋଟିଏ ପ୍ରାରମ୍ଭିକ ଉଦାହରଣ ମାତ୍ର। ବେସେଲ୍‌ଙ୍କ ସମୟରୁ ବର୍ତ୍ତମାନ ମଧ୍ୟରେ ମନୁଷ୍ୟ ମହାକାଶ ବିଜ୍ଞାନରେ ଯେଉଁ ଚମକପ୍ରଦ ଅଗ୍ରଗତି ହାସଲ କରିଛି, ତାହାର ଅନ୍ୟତମ ପ୍ରଭାବଶାଳୀ ନମୁନା ହେଉଛି ଆଜି ପୃଥିବୀର ନିକଟ- କକ୍ଷ ପଥରେ ଘୂରି ବୁଲୁଥିବା ହଜାର ହଜାର କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍ ମାନ (କେବଳ ଏଲନ୍ ମସ୍କଙ୍କର ‘ସ୍ପେସ୍ ଏକ୍‌ସ’ରେ ୧୫୮୪ଟି ଥିବା ବେଳେ ଅଳ୍ପ କେତେ ବର୍ଷ ମଧ୍ୟରେ ସେ ସଂଖ୍ୟା ୪୦,୦୦୦କୁ ବୃଦ୍ଧି ପାଇବାକୁ ଯାଉଛି ବୋଲି କମ୍ପାନି କହିଛି)। ଏବେ ‘ଇଏସ୍‌ଓ’ ନାମକ ଇଉରୋପସ୍ଥିତ ଏକ ଆନ୍ତଃ ସରକାରୀ ମହାକାଶ ଗବେଷଣା ସଂସ୍ଥା ସୂତ୍ରରୁ ପ୍ରକାଶ ପାଇଛି ଯେ ଆସନ୍ତା ଦଶ ବର୍ଷ ମଧ୍ୟରେ ପୃଥିବୀର ନିକଟ କକ୍ଷ ପଥରେ ସ୍ଥାପିତ ହେବା ପାଇଁ ପ୍ରାୟ ଏକ ଲକ୍ଷ ସାଟେଲାଇଟ୍ ପୁଞ୍ଜି ପ୍ରକ୍ଷେପିତ ହେବାକୁ ଯାଉଛନ୍ତି।

ମହାକାଶ ଗବେଷକମାନଙ୍କ ପାଇଁ ଏହା ଏକ ଦୁଃସମ୍ବାଦ ବୋଲି ‘ଆଷ୍ଟ୍ରୋଫିଜିକାଲ୍ ଜର୍ଣ୍ଣାଲ୍ ଲେଟର୍‌ସ’ ନାମକ ମର୍ଯ୍ୟାଦାଜନକ ପତ୍ରିକାରେ ପ୍ରକାଶ ପାଇଛି। ମହାକାଶ ନିରୀକ୍ଷଣ ପାଇଁ ଘନ ଅନ୍ଧାର ଘେରା ଆକାଶ ହେଉଛି ପ୍ରକୃଷ୍ଟ ପୃ‌ଷ୍ଠଭୂମି। ଖାଲି ଆଖିକୁ ଏକ ସାଟେଲାଇଟ୍ ଦୃଶ୍ୟମାନ ହୋଇ ନ ପାରେ, କିନ୍ତୁ ଏକ ସ୍ପର୍ଶକାତର ଦୂରବୀକ୍ଷଣର ଦୃଷ୍ଟିପଥରେ ଯେତେବେଳେ ଏକ ସାଟେଲାଇଟ୍ ଅନୁପ୍ରବେଶ କରେ ସେତେବେଳେ ତା’ର ଆଲୋକ ଛଟା ଦ୍ବାରା ଦୂରବୀକ୍ଷଣ ସଂଗ୍ରହ କରୁଥିବା ସମସ୍ତ ତଥ୍ୟ ଲିଭିଯାଏ। ମହାକାଶ ଅସୀମ ହୋଇପାରେ, କିନ୍ତୁ ପୃଥିବୀର ନିକଟ କକ୍ଷ ପଥ ହେଉଛି ଅତ୍ୟନ୍ତ ସୀମିତ। ଯେତେବେଳେ ଏହି କକ୍ଷ ପଥ ଲକ୍ଷ ଲକ୍ଷ ସୂର୍ଯ୍ୟଲୋକ-ପ୍ରତିଫଳନକାରୀ ସାଟେଲାଇଟ୍‌ମାନଙ୍କ ଦ୍ବାରା ଆଚ୍ଛାଦିତ ହୋଇଯିବ, ସେତେବେଳେ ପୃଥିବୀ ପୃଷ୍ଠରେ ଥିବା ଶକ୍ତିଶାଳୀ ସ୍ପର୍ଶକାତର ଦୂରବୀକ୍ଷଣ ମାଧ୍ୟମରେ ମହାକାଶ ପର୍ଯ୍ୟବେକ୍ଷଣ କରିବା ଅସମ୍ଭବ ହୋଇପଡ଼ିବ ବୋଲି ‘ନେଚର୍ ଆ‌େଷ୍ଟ୍ରାନୋମି’ ନାମକ ପ୍ରଖ୍ୟାତ ଗବେଷଣା ପତ୍ରିକାରେ ଚିନ୍ତା ପ୍ରକାଶ ପାଇଛି। ଯଦି ବେସେଲ୍‌ଙ୍କ ସମୟରେ ପରିସ୍ଥିତି ଏଇଭଳି ହୋଇଥା’ନ୍ତା, ତେବେ ଏବେ ବିି ବୋଧହୁଏ ତାରାକୁ ଚାହିଁ ଆମେ ପ୍ରଶ୍ନ କରୁଥା’ନ୍ତେ: ‘ହ୍ବାଟ୍ ୟୁ ଆର୍?’ ତୁମେ କ’ଣ? ତୁମେ କିଏ? ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ଯଦି ବିଭିନ୍ନ ବାଣିଜ୍ୟିକ ଓ ବୈଜ୍ଞାନିକ ଉଦ୍ଦେଶ୍ୟ ସାଧନ ନିମିତ୍ତ ସାଟେଲାଇଟ୍ ପ୍ରେରଣ କରୁଥିବା ଦେଶ ଓ କମ୍ପାନିମାନେ ସହଯୋଗ ମାଧ୍ୟମରେ ଏଥିରେ ଲଗାମ ନ ଦିଅନ୍ତି, ତେବେ ଏହି ସାଟେଲାଇଟ୍ ଚାଦର ପୃଥିବୀବାସୀଙ୍କ ପାଇଁ ଆହୁରି ଅନେକ ଗୁରୁତର ବିପଦ ସୃଷ୍ଟି କରିବା ନିଶ୍ଚିତ।

The post କିଏ ତୁମେ ତାରା? first appeared on Sambad.

from ରାଶିଫଳ | Sambad https://ift.tt/3I0nP5b

Post a Comment

0 Comments